ପାଠ ଅନ୍ତର୍ଗତ ପ୍ରଶ୍ନୋତ୍ତର
୧.୧ : ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ
ତୁମ ପାଇଁ କାମ : ୧.୧
ପ୍ର) ତୁମେ ବ୍ୟବହାର କରୁଥିବା ଓ ଘରେ ବାହାରେ ଦେଖୁଥିବା ଦଶଗୋଟି ପଦାର୍ଥର ତାଲିକା କର । ସେଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ପ୍ରାକୃତିକ ଓ ଅନ୍ୟ କେଉଁ ଗୁଡ଼ିକ ମନୁଷ୍ୟକୃତ ବାଛ । ନିମ୍ନ ସାରଣୀଟି ତୁମ ଖାତାରେ ତିଆରି କରି ପୂରଣ କର । ଶ୍ରେଣୀ ଶିକ୍ଷକଙ୍କ ସହ ଆଲୋଚନା କରି ଆବଶ୍ୟକ ସ୍ଥଳେ ସଂଶୋଧନ କରି ନିଅ ।ଉତ୍ତର.
ପ୍ରାକୃତିକ ପଦାର୍ଥ | ମନୁଷ୍ୟକୃତ ପଦାର୍ଥ |
---|---|
କାଠ ମାଟି ଜଳ ପଥର ଖଣିଜ ପଦାର୍ଥ ଉଦ୍ଭିଦ ଖଣିଜ ତୈଳ | ଟେବୁଲ ଇଟା ସର୍ବତ ମୂର୍ତ୍ତି କୋଦାଳ କାଗଜ ପେଟ୍ରୋଲ |
୧.୨ : ପଦାର୍ଥର ଗୁଣ
ତୁମ ପାଇଁ କାମ : ୧.୨
(କ) ଖଣ୍ଡେ ପଥର ନେଇ ଦେଖ । ତାହା ଓଜନିଆ ଲାଗୁଛି କି ? ଗୋଟିଏ କାଚ ଗ୍ଲାସ୍ରେ ଜଳନେଇ, ଗ୍ଲାସ୍ର ବାହାର ପଟେ ଗୋଟିଏ ଦାଗ ଦେଇ ଭିତରେ ଥିବା ଜଳର ଉପର ସ୍ତରକୁ ଚିହ୍ନିତ କର । ପଥର ଖଣ୍ଡଟିକୁ ଧୀରେ ଗ୍ଲାସ୍ ଭିତରେ ଥିବା ପାଣିରେ ବୁଡ଼ାଇ ଦିଅ । ଗ୍ଲାସ୍ ଭିତରେ ଥିବା ଜଳ ସ୍ତରର ପରିବର୍ତ୍ତନ ହେଲାକି ? ଜଳସ୍ତରର ଯଦି ପରିବର୍ତ୍ତନ ହେଲା, କାହିଁକି ଏପରି ହେଲା ?ଉତ୍ତର. ହଁ, ଓଜନିଆ ଲାଗୁଛି । ହଁ, ଗ୍ଲାସ ଭିତରେ ଥିବା ଜଳସ୍ତରର ପରିବର୍ତ୍ତନ ହେଲା । କାରଣ ପଥରଟି ଗ୍ଲାସ୍ ଭିତରେ ଯେତିକି ପରିମାଣର ସ୍ଥାନ ଅଧିକାର କଲା, ସେତିକି ଆୟତନର ଜଳ, ଦାଗ ଉପରକୁ ଉଠିଗଲା ।
(ଖ) ବିଭିନ୍ନ ଆକୃତିର ତିନି-ଚାରୋଟି କାଚ ବୋତଲ ସଂଗ୍ରହ କର । ପ୍ରତି ବୋତଲରେ ଏକ ଗ୍ଲାସ୍ ଜଳ ଭର୍ତ୍ତିକର । ବିଭିନ୍ନ ବୋତଲରେ ଜଳର ଆକୃତି ଲକ୍ଷ୍ୟ କର । ଏକା ପରିମାଣର ଜଳ ବିଭିନ୍ନ ବୋତଲରେ ଥିବାବେଳେ ସେହି ଜଳର ଆକୃତି ଏକାପରି ଅଟେ କି ?
ଉତ୍ତର. ନାଁ, ବିଭିନ୍ନ ବୋତଲରେ ଏକା ପରିମାଣର ଜଳ ଥିଲେ ମଧ୍ୟ ସେହି ଜଳର ଆକୃତି ଏକାପରି ନୁହେଁ, କାରଣ ତରଳ ପଦାର୍ଥର କୌଣସି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏହାର ଆକୃତି ଧାରକ ପଦାର୍ଥର ଆକୃତି ଅନୁସାରେ ବଦଳୁଥାଏ ।
ପ୍ରଶ୍ନ ୧) ଧୂପକାଠିରୁ ବାହାରୁଥିବା ଧୂଆଁ, ବାୟୁ, ଜେଟ୍ ପ୍ଲେନ୍ରୁ ବାହାରୁଥିବା ଧୂଆଁର କିଛି ନିର୍ଦ୍ଦିଷ୍ଟ ଆକୃତି ଅଛି କି ? ଏଥୁରୁ କେଉଁ ସିଦ୍ଧାନ୍ତରେ ତୁମେ ଉପନୀତ ହେଲ ?
ଉତ୍ତର. ଧୂପକାଠିରୁ ବାହାରୁଥିବା ଧୂଆଁ, ବାୟୁ, ଜେଟ୍, ପ୍ଲେନ୍ରୁ ବାହାରୁଥିବା ଧୂଆଁର କିଛି ନିର୍ଦ୍ଦିଷ୍ଟ ଆକୃତି ନାହିଁ । ଏଥୁରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନ ଥାଏ ।
(ଗ) ଉପର (ଖ)ରେ ବ୍ୟବହୃତ ହୋଇଥିବା ଯେକୌଣସି ଗୋଟିଏ ଖାଲି ବୋତଲର ଓଜନ ନିର୍ଣ୍ଣୟ କର । ଏଥିପାଇଁ ତୁମ ସ୍କୁଲରେ ଥିବା ସ୍କିଙ୍ଗ୍ ବାଲାନ୍ସକୁ ବ୍ୟବହାର କରିପାର । ତା’ପରେ ସେହି ବୋତଲରେ ଜଳ ପୁରାଇ ଓଜନ ନିର୍ଣ୍ଣୟ କର । ଏହି ଦୁଇଟି ଓଜନ ମଧ୍ୟରେ ଥିବା ପାର୍ଥକ୍ୟ ବାହାର କର । ଏହାଦ୍ଵାରା କେଉଁ ସିଦ୍ଧାନ୍ତରେ ଉପନୀତ ହେଲ ?
ଉତ୍ତର. ପ୍ରଥମେ ଖାଲି ବୋତଲ ଓ ପରେ ବୋତଲ ସହ ଜଳର ଓଜନକୁ ମାପ କରାଗଲା ପରେ ଜଣାଗଲା ଯେ ଉଭୟ ଓଜନର ପାର୍ଥକ୍ୟ ଜଳର ଓଜନ ସହିତ ସମାନ । ଏଥୁ ଆମେ ଜାଣିଲୁ ଯେ ପ୍ରତ୍ୟେକ ପଦାର୍ଥର ବସ୍ତୁତ୍ଵ ଥାଏ ଓ ତାହା କିଛି ସ୍ଥାନ ଅଧିକାର କରିଥାଏ ।
ତୁମ ପାଇଁ କାମ : ୧.୩
ଗୋଟିଏ ବେଲୁନ୍ ଓ ଖଣ୍ଡିଏ ସରୁସୂତା ନେଇ ପରିକ୍ଷା କରି ପ୍ରମାଣ କରିବାକୁ ଚେଷ୍ଟା କର, ଯେ ବାୟୁର ଓଜନ ଅଛି । ଆବଶ୍ଯକ ହେଲେ ଶିକ୍ଷକଙ୍କ ସାହାଯ୍ଯ ନିଅ ।ଉତ୍ତର. ବାୟୁ ଗୋଟିଏ ଗ୍ୟାସୀୟ ପଦାର୍ଥ । ଏହାର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନ ଥାଏ ମାତ୍ର ଓଜନ ଅଛି । କିନ୍ତୁ ବେଲୁନ୍ ମଧ୍ୟରେ ଥିବା ବାୟୁର ଓଜନ, ଆୟତନ ଓ ଆକାର ଅଛି । ବାୟୁକୁ ଆମେ ଦେଖି ନପାରିଲେ ମଧ୍ୟ ଏହା ଏକ ପଦାର୍ଥ ।
ପ୍ରଶ୍ନ ୨) ତାପ, ଆଲୋକ, ଅଙ୍ଗାର, ମୋବାଇଲ୍ ଫୋନ୍ ଓ ଶବ୍ଦ ପଦାର୍ଥ କି ? ଏମାନଙ୍କ ମଧ୍ୟରୁ ପଦାର୍ଥଗୁଡ଼ିକ ବାଛ । ତୁମ ଉତ୍ତର ସପକ୍ଷରେ ଯଥାଯଥ କାରଣ ଦର୍ଶାଅ ।
ଉତ୍ତର. ଅଙ୍ଗାର, ମୋବାଇଲ୍ ଫୋନ୍ ପଦାର୍ଥ ଅଟେ, କିନ୍ତୁ ତାପ, ଆଲୋକ ଓ ଶବ୍ଦ ପଦାର୍ଥ ନୁହଁନ୍ତି । ପଦାର୍ଥର ଓଜନ, ଆୟତନ ଓ ଆକାର ଅଛି । ତେଣୁ ଅଙ୍ଗାର ଓ ମୋବାଇଲ୍ ଫୋନ୍ ପଦାର୍ଥ ଶ୍ରେଣୀଭୁକ୍ତ ।
ପ୍ରଶ୍ନ ୩) ପାଖରେ ଥାଇ ଦିଶଇ ନାହିଁ, ଧରିଲେ ଧରା ଦିଅଇ ନାହିଁ
ରାଗିଲେ ସେ ସବୁ ଭାଙ୍ଗି ଦିଏ, କହରେ ପିଲେ, କହ ସେ କିଏ ?
ଉତ୍ତର. ବାୟୁ ବା ପବନ ।
୧.୩ : ପଦାର୍ଥର ବିଭିନ୍ନ ଅବସ୍ଥା
ତୁମ ପାଇଁ କାମ : ୧.୪
ପ୍ର) ଗୋଟିଏ କାଚ ଗ୍ଲାସରେ ଖଣ୍ଡିଏ ବରଫ ରଖ । କିଛି ସମୟ ପରେ ବରଫ ଖଣ୍ଡର କି ପରିବର୍ତ୍ତନ ହେଲା ଦେଖ । ଗ୍ଳାସରେ ବର୍ତ୍ତମାନ ଜମା ହୋଇଥିବା ତରଳ ପଦାର୍ଥ କଣ ହୋଇପାରେ ?ଉତ୍ତର. ତରଳ ଜଳ ।
ପ୍ର) ସେହି ତରଳ ପଦାର୍ଥକୁ ଗୋଟିଏ ଆଲୁମିନିୟମ ବା ଷ୍ଟିଲ ବାଟିରେ ନେଇ ଗରମ କରି ଦେଖ କଣ ହେଉଛି । କିଛି ସମୟ ପରେ ସେହି ବାଟି ଉପରେ ଗୋଟିଏ ଥାଳିଆ ଢାଙ୍କି ରଖ ଓ ଗରମ କରିବା ବନ୍ଦ କରିଦିଅ । ବାଟି ଓ ଥାଳିଆ ଥଣ୍ଡା ହୋଇଯିବା ପରେ, ଥାଳିଆ ବାହାର କରି ଦେଖ, ତା ତଳ ପଟରେ କଣ ସବୁ ଲାଗିଛି ?
ଉତ୍ତର. ଜଳ ବିନ୍ଦୁ ।
ପ୍ର) ଏହିପରି ଢାଙ୍କୁଣୀର ତଳପଟେ ଜଳବିନ୍ଦୁ ଜମି ଯିବାର ଅନ୍ୟ କେଉଁଠି ଦେଖିଛ, ତାହା ତୁମ ଖାତାରେ ଲେଖ ।
ଉତ୍ତର. ମାଆ ଭାତ ରୋଷେଇ କଲାବେଳେ ଢାଙ୍କୁଣୀର ତଳପଟେ ଜଳବିନ୍ଦୁ ଜମିଯିବାର ଦେଖିଛୁ ।
ପ୍ର) ତରଳ ଜଳକୁ ଅଧିକ ଥଣ୍ଡା କଲେ (ଫ୍ରୀଜ ଭିତରେ ରଖାଯାଇପାରେ) କଣ ହୁଏ ନିଜେ କରି ଦେଖ ।
ଉତ୍ତର. ତରଳ ଜଳ ବରଫରେ ପରିଣତ ହେଲା ।
ତୁମ ପାଇଁ କାମ : ୧.୫
ପ୍ର) ଖଣ୍ଡିଏ ମହମ ମୁଣ୍ଡାକୁ ଗୋଟିଏ ଆଲୁମିନିୟମ ବା ଷ୍ଟିଲ ବାଟିରେ ନେଇ ଗରମ କରି ଦେଖ । ଏହି ପ୍ରକ୍ରିୟାରେ ଘଟୁଥିବା ପରିବର୍ତ୍ତନକୁ ଲେଖି ରଖ । ତୁମ ଶ୍ରେଣୀର ଅନ୍ୟ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ସହ ପଦାର୍ଥର ଏହି ଗୁଣ ବିଷୟରେ ଆଲୋଚନା କର ।ଉତ୍ତର. ମହମ ମୁଣ୍ଡାକୁ ଗରମ କଲେ, ମହମ ତରଳି କିଛି ଜଳି ଯାଉଛି ଓ କିଛି ତଳକୁ ବହି କଠିନ ହୋଇ ଯାଉଛି ।
ପ୍ର) ପଦାର୍ଥର କଠିନ ଅବସ୍ଥାରେ ନିଜସ୍ଵ ଆକାର, ଆୟତନ ଓ ବସ୍ତୁତ୍ଵ ଥାଏ । ଏହାକୁ ଯେଉଁଠାରେ ରଖିଲେ ମଧ୍ୟ ଏହା କିଛି ସ୍ଥାନ ଅଧିକାର କରେ । ନିଜ ମନରୁ ଓ ଅନୁଭୁତିରୁ କେତୋଟି ଉଦାହରଣ ଦିଅ ।
ଉତ୍ତର. କଠିନ ପଦାର୍ଥଗୁଡିକ ବୋତଲରେ ଭର୍ତ୍ତି କଲେ ଆକାରରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏଗୁଡିକୁ ଜଳ ପୂର୍ଣ୍ଣ ପାତ୍ରରେ ରଖିଲେ ଜଳ ଉଛୁଳି ପଡିବ ଏବଂ ବସ୍ତୁତ୍ଵ ଥିବା ଯୋଗୁଁ ଏଗୁଡିକ ଉପରୁ ତଳକୁ ପଡନ୍ତି ।
ପ୍ର) କ୍ଷୀରକୁ ପାଉଚ୍ ରୁ ବାହାର କରି ଫୁଟେଇବା ପାଇଁ ଯେଉଁ ପାତ୍ରରେ ନିଆଯାଏ, ତାହା ସେହି ପାତ୍ରର ଆକୃତି ଧାରଣ କରିଥାଏ । ନିଜ ଅନୁଭୁତିରୁ ଅନ୍ୟ କିଛି ତରଳ ପଦାର୍ଥର ଉଦାହରଣ ଦିଅ ।
ଉତ୍ତର.
- ପାଣି ପାଉଚ ର ପାଣି ଯେଉଁ ବୋତଲ ରେ ଭର୍ତ୍ତି କରିବା, ତାହା ସେହି ବୋତଲର ଆକୃତି ଧାରଣ କରିବ ।
- ଜାର ର ତେଲ ଯେଉଁ ବୋତଲ ରେ ଭର୍ତ୍ତି କରିବା, ତାହା ସେହି ବୋତଲର ଆକୃତି ଧାରଣ କରିବ ।
- ଶିଶିରେ ଥିବା ଔଷଧ ଯେଉଁ ଚାମଚ ରେ ନେବା, ତାହା ସେହି ଚାମଚର ଆକୃତି ଧାରଣ କରିବ ।
ପ୍ର) ଘରେ/ଦୋକାନରେ ତେଲ, କ୍ଷୀର, ଜଳ ଇତ୍ୟାଦିକୁ କିପରି ରଖାଯାଏ, ଲକ୍ଷ କର ।
ଉତ୍ତର. ପାଉଚ, ବୋତଲ, ଶିଶି, ପ୍ଲାଷ୍ଟିକ ଜାର, ଟିଣ ଡବା ଆଦି ପାତ୍ରରେ ତେଲ, କ୍ଷୀର, ଜଳ ଇତ୍ୟାଦି ରଖାଯାଏ ।
ପ୍ର) ଅମ୍ଳଜାନ, ଉଦଜାନ, ଯବକ୍ଷାରଜାନ ଆଦି ଗ୍ୟାସୀୟ ପଦାର୍ଥ ଅଟନ୍ତି । ତୁମେ ଆଉ କେତୋଟି ଉଦାହରଣ ମନରୁ ଲେଖ ।
ଉତ୍ତର.
- ବାୟୁ
- ଧୂଆଁ
ପ୍ର) ଗୋଟିଏ ଖୋଲା ବୋତଲରେ ଜଳନ୍ତା ଧୂପକାଠିଟିଏ ପୁରାଇ କାଢିଆଣ । ବୋତଲ ମୁହଁକୁ ଠିପି ଦେଇ ବନ୍ଦ କର । ଲକ୍ଷ୍ୟ କଲେ ଦେଖିବ ଧୂପକାଠି ଧୂଆଁ ଅଳ୍ପ ସମୟରେ ପୁରା ବୋଟଲଟି ଭିତରେ ବ୍ୟାପିଯିବ । ଏବେ କହିଲ ଦେଖି ଠିପିକୁ ଖୋଲି ଦେଲେ କଣ ହେବ ?
ଉତ୍ତର. ଧୂପକାଠି ଧୂଆଁ ବୋତଲରୁ ବାହାରି ଯିବ ।
୧.୪ : ପଦାର୍ଥର ତିନି ସାଧାରଣ ଅବସ୍ଥାର ଅନ୍ତଃ-ରୂପାନ୍ତରଣ
ପ୍ରଶ୍ନ ୪) ଗନ୍ଧକର୍ପୁର, ଆୟୋଡିନ୍ ଦାନା, ଆମୋନିୟମ୍ କ୍ଲୋରାଇଡ୍ ଲବଣ ଇତ୍ୟାଦି କଠିନ ପଦାର୍ଥକୁ ନେଇ କିଛି ସମୟ ଉତ୍ତପ୍ତ କଲେ, କ’ଣ ହେବ ?ତୁମର ଅନୁମାନର ସତ୍ୟାସତ୍ୟ ପରୀକ୍ଷା କରି ଦେଖ ।
ଉତ୍ତର. ଗନ୍ଧକର୍ପୁର, ଆୟୋଡି଼ନ୍ ଦାନା, ଆମୋନିୟମ୍ କ୍ଲୋରାଇଡ୍ ଲବଣ ଇତ୍ୟାଦି କଠିନ ପଦାର୍ଥକୁ ଉତ୍ତପ୍ତ କଲେ ତରଳ ନ ହୋଇ ତାହା ବାଷ୍ପ ହୋଇଥାଏ । ଏହି ବାଷ୍ପ ଥଣ୍ଡା ହୋଇ ତରଳ ଅବସ୍ଥାକୁ ନ ଆସି ପୁନଶ୍ଚ କଠିନ ଅବସ୍ଥା ପ୍ରାପ୍ତ ହୋଇଥାଏ । ଏଗୁଡ଼ିକୁ ଉଦ୍ବାୟୀ କଠିନ ପଦାର୍ଥ କୁହାଯାଏ ।
୧.୫ : ପଦାର୍ଥର ଗଠନ
ପ୍ରଶ୍ନ ୫) କେବଳ ସେଫଟିପିନ୍ କ୍ଷେତ୍ରରେ ତାର ଗୋଟିଏ ଅଂଶ ଅଲଗା କରିବା ପାଇଁ ହାତୁଡ଼ିର ଆବଶ୍ୟକତା କାହିଁକି ପଡିଲା କୁହ ।ଉତ୍ତର. ସେଫଟିପିନ ଏକ କଠିନ ପଦାର୍ଥ ହୋଇଥିବାରୁ ଏହାର କଣିକା ଗୁଡିକ ଦୃଢ ପାରସ୍ପରିକ ଆକର୍ଷଣ ବଳ ଦ୍ଵାରା ବାନ୍ଧି ହୋଇ ରହିଥାନ୍ତି । ତେଣୁ ଏହାର କିଛି ଅଂଶକୁ ଅଲଗା କରିବା ପାଇଁ ହାତୁଡ଼ିର ଆବଶ୍ୟକତା ପଡେ ।
୧.୬ : ପଦାର୍ଥର ଶ୍ରେଣୀ ବିଭାଗ
ପ୍ର) ତୁମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କେତୋଟି ପଦାର୍ଥର ତାଲିକା କର । ସେଗୁଡିକ ମଧ୍ୟରୁ କେଉଁ ଗୁଡିକ ବିଶୁଦ୍ଧ ପଦାର୍ଥ ଏବଂ କେଉଁ ଗୁଡିକ ମିଶ୍ର ପଦାର୍ଥ ବୋଲି ଭାବୁଛ, ବାଛି ଅଲଗା କରି ଗୋଟିଏ ସାରଣୀରେ ସଜାଅ ।ତମ୍ବାତାର, କାଠ, କୋଇଲା କେଉଁ ପ୍ରକାର ପଦାର୍ଥ ବୋଲି ଭାବୁଛ, ସେହି ସାରଣୀରେ ଉପଯୁକ୍ତ ସ୍ଥାନରେ ଲେଖ ।
ଉତ୍ତର.
ବିଶୁଦ୍ଧ ପଦାର୍ଥ | ମିଶ୍ର ପଦାର୍ଥ |
---|---|
ଚକ୍ ଖଡି ତମ୍ବା ତାର ଅମ୍ଳଜାନ ଚିନି ଲୁଣ | କ୍ଷୀର ଔଷଧ ସର୍ବତ ସାଲାଡ ସମୁଦ୍ର ଜଳ ସାବୁନ କାଠ କୋଇଲା |
ପ୍ରଶ୍ନ ୬) ଫିଲଟର୍ ପାଣି ବିଶୁଦ୍ଧ ପଦାର୍ଥ କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉତ୍ତର. ଫିଲଟର୍ ପାଣି ବିଶୁଦ୍ଧ ପଦାର୍ଥ ନୁହେଁ । ଏହା ଏକ ମିଶ୍ରଣ । ଏଥିରେ ଧାତବଲବଣ ଓ ଅମ୍ଳଜାନ ଦ୍ରବୀଭୂତ ହୋଇଥାଏ ।
ପ୍ରଶ୍ନ ୭)
- ଅଙ୍ଗାରକାମ୍ଳରେ କେଉଁ କେଉଁ ମୌଳିକ ଥାଏ ?
- ଭୋଲ୍ଟମିଟର ଯନ୍ତ୍ରରେ ଜଳ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ କରାଇଲେ କେଉଁ କେଉଁ ମୌଳିକ ଉତ୍ପନ୍ନ ହୁଏ ?
- ଅଙ୍ଗାରକ, ଉଦ୍ଜାନ ଓ ଅମ୍ଳଜାନ ତିନୋଟି ମୌଳିକ, ଗ୍ଲୁକୋଜ ଗୋଟିଏ ଯୌଗିକ । ଏହାର ଯଥାଯଥ କାରଣ ଲେଖ ।
- ୮୪ ଗ୍ରାମ୍ ଲୁହାଗୁଣ୍ଡ, ୫୪ ଗ୍ରାମ୍ ଗନ୍ଧକ ସହ ରାସାୟନିକ ସଂଯୋଗ ଘଟାଇଲେ କେତେ ଗ୍ରାମ୍ ଫେରସ୍ ସଲ୍ଫାଇଡ୍ ପ୍ରସ୍ତୁତ ହେବ ?
ତୁମ ପାଇଁ କାମ : ୧.୧୨
ପ୍ର) ତୁମେ ଖାଦ୍ୟ ଓ ପାନୀୟ ରୂପରେ ବ୍ୟବହାର କରୁଥିବା ଦଶଗୋଟି ମିଶ୍ରଣର ତାଲିକା କର । ସେହି ମିଶ୍ରଣରେ ଥିବା ମୌଳିକ, ଯୌଗିକ ଗୁଡିକର ନାମକୁ ନେଇ ନିମ୍ନରେ ଦିଆଯାଇଥିବା ସାରଣୀ ପରି ଗୋଟିଏ ସାରଣୀ ତୁମ ଖାତାରେ କର ।ଉତ୍ତର.
ମିଶ୍ରଣ | ଉପାଦାନ |
---|---|
ଚିନି ସର୍ବତ | ଚିନି, ଜଳ |
ସାଲାଡ | କାକୁଡି, ଗାଜର, କଞ୍ଚା ଲଙ୍କା, ଦହି, ଲୁଣ, ପିଆଜ, ମୂଳା |
ମିକଶ୍ଚର | ଗାଠିଆ, ସେଓ, ମକା ଚିପ୍ସ, ଚୂଡା ଭଜା, ଲୁଣ, ଲଙ୍କା ଗୁଣ୍ଡ, କିସମିଶ |
ଚଣା ଚାଟ | ଚଣା, ଲୁଣ, ଲେମ୍ବୁ, ଲଙ୍କା ଗୁଣ୍ଡ, ଚାଟ ମସଲା, ପିଆଜ, କଞ୍ଚା ଲଙ୍କା |
ଲେମ୍ବୁ ସର୍ବତ | ଲେମ୍ବୁ, ଲୁଣ, ଚିନି, ବରଫ ଖଣ୍ଡ |
ଲସି | ଦହି, ଲୁଣ, ଚିନି, ବରଫ ଖଣ୍ଡ, ନଡିଆ |
ଅଭ୍ୟାସ
୧. ଶୂନ୍ୟସ୍ଥାନ ପୂରଣ କର ।(କ) ପଦାର୍ଥର ତରଳାବସ୍ଥାରେ ନିର୍ଦ୍ଦିଷ୍ଟ ଆୟତନ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ଆକୃତି ନ ଥାଏ ।
(ଖ) ପଦାର୍ଥର ଗ୍ୟାସୀୟାବସ୍ଥାରେ କଣିକାଗୁଡିକ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ବଳ ସବୁଠାରୁ କମ୍ ଥାଏ ।
(ଗ) ଯେଉଁ ବିଶୁଦ୍ଧ ପଦାର୍ଥର ପରମାଣୁଗୁଡ଼ିକ ସହଧର୍ମୀ ହୋଇଥାଏ, ତାହାକୁ ମୌଳିକ ପଦାର୍ଥ କୁହାଯାଏ ।
(ଘ) ବାୟୁ ଗୋଟିଏ ମିଶ୍ର ପଦାର୍ଥ, କିନ୍ତୁ ଅଙ୍ଗାରକାମ୍ଳ ଗୋଟିଏ ଯୌଗିକ ପଦାର୍ଥ |
(ଙ) ଗୋଟିଏ ମୌଳିକ ପଦାର୍ଥରେ ଭିନ୍ନ ପ୍ରକାର ଅଣୁ ଥାଏ ।
୨. ନିମ୍ନଲିଖିତ ପଦାର୍ଥଗୁଡ଼ିକରୁ ମୌଳିକ, ଯୌଗିକ ଓ ମିଶ୍ରଣକୁ ଅଲଗା କରି ଲେଖ ।
(କ୍ଲୋରିନ୍, ପାରଦ ବା ମର୍କୁରି, ଲାଇମ୍ ବା ଚୂନ, ଚିନି ସର୍ବତ, ଗନ୍ଧକାମ୍ଲ, ଫିଟକିରୀ, ବରଫ, କ୍ଷୀର, ହୀରା, ଲୁଣ)
ଉତ୍ତର.
ମୌଳିକ | ଯୌଗିକ | ମିଶ୍ରଣ |
---|---|---|
କ୍ଲୋରିନ୍ ପାରଦ ବା ମର୍କୁରି ହୀରା | ଲାଇମ୍ ବା ଚୂନ ଫିଟକିରୀ ବରଫ ଲୁଣ ଗନ୍ଧକାମ୍ଲ | ଚିନି ସର୍ବତ କ୍ଷୀର |
୩. ପ୍ରତୀକ ଓ ସଂକେତ ବ୍ୟବହାର କରି ନିମ୍ନଲିଖିତ ପଦାର୍ଥ ଗୁଡ଼ିକୁ ଲେଖ ।
ଉତ୍ତର. (କ) ମାଙ୍ଗାନିଜ୍ର ପରମାଣୁ – Mn
(ଖ) କ୍ଲୋରିନ୍ ଅଣୁ – Cl2
(ଗ) ଚୂନପାଣିର ସଂକେତ – Ca(OH)2
(ଘ) ଯବକ୍ଷାରଜାନର ଅଣୁ – N2
୪. ଯୌଗିକ ଓ ମିଶ୍ରଣ ଭିତରେ ଦୁଇଟି ପାର୍ଥକ୍ୟ ଲେଖ ।
ଉତ୍ତର.
ଯୌଗିକ | ମିଶ୍ରଣ |
---|---|
(i) ଦୁଇ ବା ତତୋଧିକ ମୌଳିକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରକ୍ରିୟା ଦ୍ଵାରା ସଂଯୁକ୍ତ ହୋଇ ଯେଉଁ ନୂତନ ପଦାର୍ଥ ସୃଷ୍ଟି କରନ୍ତି ତାହାକୁ ଯୌଗିକ ପଦାର୍ଥ କୁହାଯାଏ | ଉଦାହରଣ: ଜଳ (H2O) | (i) ଯେଉଁ ପଦାର୍ଥରେ ଏକାଧିକ ମୌଳିକ ବା ଯୌଗିକ ବା ଉଭୟ ମୌଳିକ ଓ ଯୌଗିକ ମିଶିକରି ଥାଏ, ତାହାକୁ ମିଶ୍ରଣ କୁହାଯାଏ । |
(ii) ଯୌଗିକରେ ଉପାଦାନଗୁଡ଼ିକ ନିଜସ୍ୱ ଧର୍ମ ହରାଇଥା’ନ୍ତି | | (ii) ମିଶ୍ରଣରେ ଉପାଦାନଗୁଡ଼ିକର ନିଜସ୍ବ ଗୁଣ ଅପରିବର୍ତିତ ରହିଥାଏ । |
୫. ଯେଉଁ ମୌଳିକର ଅଣୁରେ ଏକରୁ ଅଧିକ ପରମାଣୁ ଥାଏ, ସେହିପରି ମୌଳିକର ତିନିଗୋଟି ଉଦାହରଣ ଦିଅ ।
ଉତ୍ତର. ଉଦାହରଣ – ଉଦ୍ଜାନ (H2), ଅମ୍ଳଜାନ (O2) ଏବଂ ଯବକ୍ଷାରଜାନ (N2)
୬. ତୁମେ ଜାଣିଛ O2, ଏବଂ O3, ଗୋଟିଏ ଅନ୍ୟଟିର ସମସ୍ଥାନିକ । ତେବେ ଏହି ଦୁଇଟି, ଭିନ୍ନ ପଦାର୍ଥ, O3 ର ନାମ ଲେଖ ଓ ଏହା ଆଜିକାଲି ସବୁଠାରେ କାହିଁକି ଆଲୋଚନା ହେଉଛି, ସଂକ୍ଷେପରେ ଲେଖ ।
ଉତ୍ତର. O2 ଓ O3 ଗୋଟିଏ ଅନ୍ୟଟିର ସମସ୍ଥାନିକ । ତେବେ ଏହି ଦୁଇଟି ଭିନ୍ନ ପଦାର୍ଥ ।
O2 – ଅମ୍ଳଜାନର ସଂକେତ ଏବଂ O3 – ଓଜୋନ୍ର ସଂକେତ ।
- ବାୟୁମଣ୍ଡଳର ‘ଷ୍ଟ୍ରାଟୋସ୍ପିୟର୍’’ ସ୍ତରରେ O3, ବା ଓଜୋନ୍ ସୃଷ୍ଟି ହୋଇଥାଏ ।
- ଏହା ସୂର୍ଯ୍ୟରୁ ଆସୁଥିବା ମାରାତ୍ମକ ଅଲ୍ଟ୍ରାଭାଇଓଲେଟ୍ ବା ଅତିବାଇଗଣୀ ରଶ୍ମୀକୁ ଶୋଷି ଦେଇଥାଏ ।
- କ୍ଲୋରୋଫ୍ଲୋରୋ କାର୍ବନ (CFC) ଏହି ଓଜୋନ୍ ଅଣୁକୁ ନଷ୍ଟ କରିଦେଇଥାଏ । ଏହାକୁ ଓଜୋନ୍ ସ୍ତରର ଛିଦ୍ର କୁହାଯାଏ । ଫଳରେ ମାରାତ୍ମକ ଚର୍ମ କର୍କଟ ରୋଗର ପ୍ରାଦୁର୍ଭାବ ପୃଥିବୀ ପୃଷ୍ଠରେ ବୃଦ୍ଧି ପାଇଥାଏ ।
ଉତ୍ତର.
- ପ୍ରୋଟିଏମ୍, ଡିଉଟେରିୟମ୍ ଓ ଟ୍ରାଇଟିୟମ୍, ଉଦ୍ଜାନର ତିନିଗୋଟି ସମସ୍ଥାନିକ ।
- ଜଳର ସଂକେତ H2O |
- ଡିଉଟେରିୟମ୍ ଓ ଅମ୍ଳଜାନରୁ ପ୍ରସ୍ତୁତ ଯୌଗିକର ନାମ ଭାରୀଜଳ ଓ ଏହାର ସଂକେତ D2O । ଏହାକୁ ଭାରୀଜଳ କୁହାଯାଏ ।
୮. ଗୋଟିଏ ଧାତୁ ଓ ଅଧାତୁର ନାମ ଓ ସଂକେତ ଲେଖ, ଯାହା ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ ।
ଉତ୍ତର.
- ପାରଦ ଏକ ତରଳ ଧାତବ ମୌଳିକ । ଏହାର ସଂକେତ – Hg |
- ବ୍ରୋମିନ୍ ଏକ ତରଳ ଅଧାତୁ । ଏହାର ସଂକେତ - Br |
ଘରେ କରିବା ପାଇଁ କାମ
ପ୍ର) ତୁମ ଘରେ ବ୍ୟବହୃତ ହେଉଥିବା ପଦାର୍ଥ ଗୁଡିକ ମଧ୍ୟରୁ କେଉଁଗୁଡିକ ପ୍ରାକୃତିକ ଓ କେଉଁଗୁଡିକ ମନୁଷ୍ୟକୃତ, ତାହାର ତାଲିକା କର ।ଉତ୍ତର.
ପ୍ରାକୃତିକ ପଦାର୍ଥ | ମନୁଷ୍ୟକୃତ ପଦାର୍ଥ |
---|---|
ଜଳ କାଠ କୋଇଲା ଖଣିଜ ପଦାର୍ଥ ବାୟୁ ମୃତ୍ତିକା | ଲୁଗାପଟା ଆସବାବ ପତ୍ର ବାସନକୁସନ ଖାଦ୍ୟ ଓ ପାନୀୟ ଜୀବନ ରକ୍ଷାକାରୀ ଔଷଧ କୃଷିକ୍ଷେତ୍ରରେ ବ୍ୟବହାର ହେଉଥିବା ସାର ଓ କୀଟନାଶକ ପ୍ଲାଷ୍ଟିକ ବସ୍ତୁ କାଗଜ କାଳି ବିଭିନ୍ନ ଯାନବାହନ |
ପ୍ର) ତୁମ ଘରେ କେଉଁ କେଉଁ ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହେବା ଦେଖୁଛ ତାହା ଉଲ୍ଲେଖ କରି ଶ୍ରେଣୀରେ ଆଲୋଚନା କର ।
ଉତ୍ତର.
- ଜଳ ବରଫ ହେବା
- ଜଳ ବାଷ୍ପରେ ପରିଣତ ହେବା